ବର୍ତ୍ତମାନ ରାଜ୍ୟରେ "ମୋ ସରକାର" ଭଳିଆ ଏକ ଅତ୍ୟନ୍ତ ଜନାହିତକାରୀ ପଦକ୍ଷେପ ଦ୍ୱାରା ସରକାର, ପ୍ରଶାସନ ତଥା ଲୋକମାନଙ୍କ ମଧ୍ୟରେ ଦୂରତ୍ୱ କମିବାରେ ଲାଗିଛି. ରାଜ୍ୟରେ "5T" କାର୍ଯ୍ୟକାରୀ ହେବା ଦ୍ୱାରା ବର୍ତ୍ତମାନ ଲୋକେ ସହଜେ ସୁବିଧା ସୁଯୋଗ ପାଉଛନ୍ତି.
ବିଦ୍ୟାଳୟରେ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ନିତାନ୍ତ ଆବଶ୍ୟକ ହେଉଥିବା ତାଳମେଳକୁ ଆଖିଆଗରେ ରଖି ଯୁକ୍ତାତ୍ମକ ଚିନ୍ତାଧାରା ରଖି ଆମ ବିଦ୍ୟାଳୟରେ "ମୋ ସରକାର" ଢାଞ୍ଚାରେ ଏକ ଉଦ୍ୟମ କରାଯାଇଛି ଯାହା ସୁଫଳ ହେଲେ ସମସ୍ତଙ୍କ ପାଇଁ ତଥା ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରିବ ବୋଲି ମୋର ଆଶା ଆଉ ଭରଷା.
ଶିକ୍ଷାର୍ଥୀ ମାନେ ଘରକୁ ଗଲାପରେ କିଭଳି ଭାବେ ଏକ ଶୃଙ୍ଖଳିତ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ନିର୍ଦ୍ଧାରିତ ସମୟରେ ପାଠପଢ଼ା ରୁ ଆରମ୍ଭ କରି ସକାଳୁ ଉଠିବା ରୁ ନେଇ ରାତିରେ ଶୋଇବା ପର୍ୟ୍ଯନ୍ତ ଏକ ଶୃଙ୍ଖଳା ଚାର୍ଟ ସମସ୍ତ ଙ୍କୁ ପ୍ରଦାନ କରାଯାଇଛି ଯେଉଁଥିରେ ଶ୍ରେଣୀ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଙ୍କ ଯୋଗାଯୋଗ ନମ୍ବର ଉଲ୍ଲେଖ ଅଛି .ଏହି ଶୃଙ୍ଖଳା ଚାର୍ଟ କାନ୍ଥ ଘଣ୍ଟା ପାଖାପାଖି ରହିବ ,ଏହି ନମ୍ବର ଦ୍ୱାରା ଅଭିଭାବକ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଯୋଗାଯୋଗ କରି ତାଙ୍କର ମତାମତ, ଅଭିଯୋଗ କରିପାରିବେ. ଅପର ପକ୍ଷରେ ସମସ୍ତ ଅଭିଭାବକ ଙ୍କ ଯୋଗାଯୋଗ ନମ୍ବର ଶିକ୍ଷକଙ୍କ ପାଖରେ ରହିବ ଯେଉଁଥିରେ ପିଲାମାନେ ନିର୍ଦ୍ଧାରିତ ସମୟରେ ଉପଯୁକ୍ତ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ପଚାରି ବୁଝିବେ, ଏଥିପାଇଁ ସ୍ୱତନ୍ତ୍ର ନିଜସ୍ୱ ମାର୍କିଂ ବ୍ୟବସ୍ଥା ରହିଛି ଯାହାକି ପିଲାଙ୍କ ପାଇଁ ଉପଯୋଗୀ ହେବ. ଫୋନ ମାଧ୍ୟମରେ ଅଭିଭାବକ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପିଲାଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ ତାଙ୍କ ପାଇଁ ଉପଯୋଗୀ ପଦକ୍ଷେପ ନେଇହେବ. ଏହା ଛଡା କେତେକ ଅଭିଭାବକ ଙ୍କୁ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ ମଧ୍ୟ ଖୋଲାଯାଇଛି ଯୋଉଥିରେ ଅଭିଭାବକ ମାନେ ସିଧାସଳଖ ଯୋଡ଼ି ହେବା ଫଳରେ ଦୂରତ୍ୱ କମିବା ସଂଗେ ସଂଗେ ପିଲାଙ୍କ ନିମନ୍ତେ ଏହା ବିଶେଷ ଉପଯୋଗୀ ହେବ ବୋଲି ଆଶା ରହିଛି
ଆପଣମାନେ ଅନୁମାନ କରୁଥିବେ ଯେ ଆମ ସରକାରୀ ବିଦ୍ୟାଲୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତର କୁହନ୍ତୁ ବା ତାଙ୍କ ପରିବେଶ କୁହନ୍ତୁ ଅନେକ ଫରକ ରହୁଛି.ମୁଁ ଆଗରୁ ଗୋଟାଏ ପୋଷ୍ଟରେ ଏଇକଥା ଉଲ୍ଲେଖ କରିଥିଲି ,ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ମାନଙ୍କ ଅନେକ ସମସ୍ୟା ରହିଥାଏ ସେ ଦିଗକୁ ମୁଁ ଯିବାକୁ ଚାହୁଁନାହିଁ କେବଳ ଯୁକ୍ତାତ୍ମକ ଭାବ ପରିପୋଷଣ କରି ସମସ୍ୟାବହୁଳ ପରିସ୍ଥିତି ରୁ ଆଗକୁ ଯାଇ ଗୋଟିଏ ପ୍ରୟାସ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି.
ଯେତେବେଳେ ପିଲାଟି ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସେ ସେଠାରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ ହୋଇଥାଏ କିନ୍ତୁ ଯେତେବେଳେ ବିଦ୍ୟାଳୟରୁ ପିଲା ଘରକୁ ଫେରେ ସେଠାରେ ସମସ୍ତ ଦାୟିତ୍ୱ ବାପାମାଆ/ଅଭିଭାବକ ଙ୍କ ହୋଇଥାଏ.ପ୍ରାୟ ଅଧିକାଂଶ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ ଏମିତି ପରିବେଶରୁ ଆସିଥାନ୍ତି ଯାହାଙ୍କ ମାର୍ଗଦର୍ଶନ କରିବା ନିମନ୍ତେ ଲୋକଙ୍କ ଅଭାବ ପରିଲକ୍ଷିତ ହୋଇଥାଏ, ଉଚିତ ମାର୍ଗଦର୍ଶନ ,ସଚେତନତା ର ଅଭାଵ, ପାରିପାର୍ଶ୍ବିକ ପରିବେଶ ପିଲାଙ୍କ ଉପରେ ବିଶେଷ ପ୍ରଭାବ ପକେଇଥାଏ ଯାହାଦ୍ୱାରା କଅଁଳ ଶିଶୁଟି ଭଗବାନ ଭରଷା ରେ ରହି ତାର ଜୀବନଯାତ୍ରା ଆଗକୁ ବଢ଼େଇଥାଏ.
ଏ ସବୁ କହିବାର ତାତ୍ପର୍ଯ୍ୟ ହେଉଛି ମୋର ବ୍ୟକ୍ତିଗତ ଅନୁଭୂତି ରୁ ମୁଁ ଯାହା ଅନୁଭବ କଲି ଯେ ପିଲାମାନେ ଯେତେବେଳେ ବିଦ୍ୟାଳୟ ରୁ ଘରକୁ ଫେରୁଛନ୍ତି ତାଙ୍କର ଶୃଙ୍ଖଳା ରହୁନାହିଁ,କେତେବେଳେ କ'ଣ କରିବା ଦରକାର ,ପାଠ ପଢିବା ,ଖେଳିବା ,ଗାଧୋଇବା ସବୁ ନିର୍ଦ୍ଦିଷ୍ଟ ସମୟରେ ହେଉନାହିଁ ଯାହାଫଳରେ ପିଲାମାନଙ୍କ ଶିକ୍ଷଣ ଅଗ୍ରଗତି ହେବାରେ ବାଧା ସୃଷ୍ଟି ହେଉଛି. ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଠିକ ତାଳମେଳ ରହୁଥିବାରୁ ଆଶାତୀତ ସଫଳତା ମିଳୁନାହିଁ. ପିଲାଙ୍କ ସମସ୍ୟା କୁ ଚିରାଚରିତ ଭାବେ ତାଙ୍କ ସମସ୍ୟା ନ ଭାବି ତାର ସମାଧାନ ନିମନ୍ତେ ଏକ ରାସ୍ତା ବାହାର କରିବାର ଏହି ଚେଷ୍ଟା.. ଗତ 16 ତାରିଖରେ ଅଭିଭାବକ ମାନଙ୍କ ବୈଠକରେ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଲୋଚନା କରି ଏକ ନିଷ୍ପତ୍ତି ନିଆଗଲା.